କାଠଯୋଡ଼ୀ ପଥରବନ୍ଧ

 

 

 

 

 

 

 

 

 

କାଠଯୋଡ଼ୀ ପଥରବନ୍ଧ

ଶ୍ରୀ ରାଧାଚରଣ ମହାପାତ୍ର

 

ମୁଖବନ୍ଧ

 

ଅତି ପ୍ରାଚୀନକାଳରେ ଆମ୍ଭମାନଙ୍କର ଜନ୍ମଭୂମି ଏହି ଉତ୍କଳ ଭୂଖଣ୍ଡ ମହାପରାକ୍ରମଶାଳୀ କେଶରୀବଂଶୀୟ ନରପତିମାନଙ୍କଦ୍ୱାରା ଶାସିତ ହେଉଥିଲା । ମାଦଳାପାଞ୍ଜି ବିବରଣରୁ ଜଣାଯାଏ ଯେ ଖ୍ରୀ୪୭୪ଷ୍ଟାବ୍ଦରୁ ଏହିବଂଶୀୟ ରାଜାମାନଙ୍କର ରାଜତ୍ୱ ଆରମ୍ଭ ହୋଇ ବ୬୫୦ର୍ଷବ୍ୟାପୀ ଦୀର୍ଘକାଳ ପ୍ରଚଳିତ ଥିଲା । ସେମାନଙ୍କର ରାଜ୍ୟ ଭଦ୍ରଖର କେତେକ କ୍ରୋଶ ଉତ୍ତରବର୍ତ୍ତୀ କାଂସବାଂସ ନଦୀଠାରୁ ଦକ୍ଷିଣରେ ଋଷିକୁଲ୍ୟା ନଦୀ ପର୍ଯ୍ୟନ୍ତ ଓ ପୂର୍ବରେ ସାଗରତୀରଠାରୁ ପଶ୍ଚିମରେ ଢେଙ୍କାନାଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଏହି ପ୍ରଦେଶର ପରିମାଣ ଫଳ ୧୧୦୦୦ ବର୍ଗମାଇଲ ଥିଲା ଓ ସମଗ୍ର ଅଧିକୃତ ରାଜ୍ୟରୁ ୧୫ ଲକ୍ଷ ମାଢ଼ ସ୍ୱର୍ଣ୍ଣ ରାଜସ୍ୱ ପ୍ରାପ୍ତ ହେଉଥିବାର ପ୍ରବାଦ ପ୍ରଚଳିତ ଅଛି । ଉକ୍ତ ବଂଶର ରାଜାମାନେ ଉଦାରଚେତା, ଦାନଶୀଳ, ଦେଶହିତବ୍ରତୀ ଓ ଜ୍ଞାନୀଥିଲେ ଏବଂ ମନଃପ୍ରାଣବିନିଯୋଗପୂର୍ବକ ଯୋଗେଶ୍ୱର ଶିବଙ୍କର ଉପାସନା କରୁଥିଲେ । ସେମାନଙ୍କର ଦେଶହିତକର କାର୍ଯ୍ୟାବଳୀ ଆଜି ସୁଦ୍ଧା ଇତିହାସରେ ପ୍ରସିଦ୍ଧି ଲାଭ କରିଅଛି । ଉଦାହରଣ ସ୍ୱରୂପ ଉକ୍ତ ବଂଶର ରାଜା ଯଯାତିକେଶରୀ ସ୍ୱୀୟ ନାମାନୁସାରେ ଆଧୁନିକ ଯାଜପୁରକୁ ‘‘ଯଯାତିପୁର’’ ଆଖ୍ୟା ପ୍ରଦାନ କରି ସେଠାରେ ରାଜଧାନୀ ସ୍ଥାପନପୂର୍ବକ ପ୍ରଜାମଣ୍ଡଳୀର ଧର୍ମଭାବ ବିସ୍ତୃତିଉଦ୍ଦେଶ୍ୟରେ ଦଶାଶ୍ୱମେଧ ଘାଟ ଓ ଅନେକ ନୂତନ ଦେବମନ୍ଦିର ନିର୍ମାଣ କରାଇଲେ ଏବଂ ଯଜ୍ଞକାର୍ଯ୍ୟାନୁଷ୍ଠାନ ନିମିତ୍ତ ଉତ୍କଳରେ ଶ୍ରୋତ୍ରିୟ ବ୍ରାହ୍ମଣର ଏକାନ୍ତ ଅଭାବ ଅନୁଭବ କରି ବହୁବ୍ୟୟଭାରବହନପୂର୍ବକ କାନ୍ୟକୁବ୍ଜରୁ ଦଶ ସହସ୍ର ଉପଯୁକ୍ତ ବେଦଜ୍ଞ ବ୍ରାହ୍ମଣ ନିମନ୍ତ୍ରଣ କରି ଅଣାଇ ଯଜ୍ଞ କାର୍ଯ୍ୟ ସମାପ୍ତିପରେ ଏ ଦେଶରେ ଚିରକାଳ ବସତି ସ୍ଥାପନ କରି ରହିବା ନିମିତ୍ତ ସେମାନଙ୍କ ପାଇଁ ଯଥେଷ୍ଟ ବୃତ୍ତି ନିର୍ଦ୍ଧାରଣ କରିଦେଲେ । ଯଶଃକାମୀ ଲଲାଟେନ୍ଦୁ କେଶରୀ ମଧ୍ୟ ଖ୍ରୀ୬୨୫ଷ୍ଟାବ୍ଦରେ ଅପରିମିତ ଅର୍ଥବ୍ୟୟ ସ୍ୱୀକାର କରି ସୁନ୍ଦର ସୂଚୀକର୍ମବିମଣ୍ଡିତ ଭୁବନ-ବିଖ୍ୟାତ ଭୁବନେଶ୍ୱରମନ୍ଦିର ଓ ଅନ୍ୟାନ୍ୟ ଅସଂଖ୍ୟ ଶିବାଳୟ ନିର୍ମାଣ ଓ ବିନ୍ଦୁସରୋବର ନାମକ ଏକ ପ୍ରକାଣ୍ଡ ପୁଷ୍କରିଣୀ ଖନନ କରାଇ ଆଜି ଏକା ଉତ୍କଳଖଣ୍ଡ କାହିଁକି ସମଗ୍ର ଭାରତବର୍ଷ ଓ ପୃଥିବୀର ସମସ୍ତ ସୁସଭ୍ୟ ରାଜ୍ୟମାନଙ୍କରେ ପ୍ରାତଃସ୍ମରଣୀୟ ହୋଇଅଛନ୍ତି । ଯେଉଁ କଟକନଗର ଆଧୁନିକ ଉତ୍କଳରାଜ୍ୟର ରାଜଧାନୀ ଓ ଶିଳ୍ପ ବାଣିଜ୍ୟାଦି ବିବିଧ ବିଦ୍ୟାଚର୍ଚ୍ଚାର କେନ୍ଦ୍ରସ୍ଥଳୀ ହୋଇ ସ୍ୱଦେଶ ଓ ବିଦେଶରୁ ପାଠକବୃନ୍ଦଙ୍କୁ ଆକର୍ଷଣ କରି ଆଣୁଅଛି, ତାହା ଏହି କେଶରୀବଂଶୀୟ ଗୁଣୀ ଓ ସମରପ୍ରିୟ ନରପତି ନୃପକେଶରୀଙ୍କ ଦ୍ୱାରା ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ନିରାପଦ ଅବସ୍ଥିତି ନିମିତ୍ତ ଦଶମଶତାବ୍ଦୀରେ ମହାରାଜଙ୍କ ଆବାସସ୍ଥାନରୂପେ ସଂସ୍ଥାପିତ-ହୋଇଥିଲା । ଉକ୍ତ ନଗରଟି ମହାନଦୀ ଓ କାଠଯୋଡ଼ି ଏହି ନଦୀଦ୍ୱୟ ପରିବେଷ୍ଟିତ ହୋଇ ଦ୍ୱୀପଖଣ୍ଡାକାର ଧାରଣ କରିଅଛି; ଏଣେ ପୁଣି ନଗରର ତଳଭାଗ ପୂର୍ବୋକ୍ତ ନଦୀଦ୍ୱୟ ସମତଳ ଅପେକ୍ଷା ବହୁପରିମାଣରେ ନ୍ୟୂନତର; ଫଳତଃ ନଦୀବନ୍ୟା ସାଧାରଣ ପରିମାଣଠାରୁ ଟିକିଏ ଅଧିକ ହେଲେ ବନ୍ୟାଜଳ ନଗରମଧ୍ୟରେ ପ୍ରବେଶ କରି ଛାରଖାର କରିଦେବ, ପୁନଶ୍ଚ ନଗରଟି ନଦୀପରିବେଷ୍ଟିତ ଥିଲେ ମଧ୍ୟ ତାହାର ଚାରିଆଡ଼େ କୌଣସି ସୁଦୃଢ଼ ପ୍ରସ୍ତରପ୍ରାଚୀର କିମ୍ୱା ସେତୁ ନ ଥିବାରୁ ତାହା ବାହ୍ୟଶତ୍ରୁମାନଙ୍କଦ୍ୱାରା ଆକ୍ରାନ୍ତ ହୋଇ ଅବାଧରେ ସେମାନଙ୍କ କରକବଳିତ ହେବ; ସମ୍ଭବତଃ ଏହି ବିଷୟ ଗୁଡ଼ିକ ନୃପକେଶରୀ ଭାବି ସ୍ଥିରକରି ପାରି ନ ଥିଲେ ଏବଂ ସେହି ହେତୁରୁ ଏଥିର କୌଣସି ପ୍ରତିବିଧାନ କରାଯାଇ ନ ଥିଲା । ଦୂରଦର୍ଶୀ ନୃପତି ମର୍କତକେଶରୀ ସିଂହାସନାରୋହଣର କିୟତ୍‌କାଳପରେ ଏହି ଗୁରୁତର ଅଭାବଟି ଲକ୍ଷ୍ୟକରି ତାହାର ପ୍ରତିବିଧାନରେ ମନଃପ୍ରାଣ ଅଭିନିବେଶ କରିଥିଲେ; ତଦନନ୍ତର ଖ୍ରୀ୯୫୩ଷ୍ଟାବ୍ଦଠାରୁ ଖ୍ରୀ୯୬୧ଷ୍ଟାବ୍ଦ ମଧ୍ୟରେ ତାଙ୍କର ଭାବନା କାର୍ଯ୍ୟରେ ପରିଣତ ହେଲା ଅର୍ଥାତ୍‍ ରାଜକୋଷରୁ ଅକାତରେ ଅପରିମିତ ଅର୍ଥ ବ୍ୟୟିତ ହୋଇ ସୁଦକ୍ଷ ଶିଳ୍ପକଳାବିତ୍‌ ଲୋକମାନଙ୍କ ତତ୍ତ୍ୱାବଧାନରେ ଉଭୟ ନଦୀ (କାଠଯୋଡ଼ୀ ଓ ମହାନଦୀ) କୂଳେ କୂଳେ ସୁଦୃଢ଼ ଉନ୍ନତ ପାଷାଣସେତୁମାନ ନିର୍ମିତ ହେଲା । ସେହି ସମୟରୁ କଟକନଗର ବନ୍ୟାକବଳରୁ ସୁରକ୍ଷିତ ହୋଇ ଆସୁଅଛି ଏବଂ ସେଗୁଡ଼ିକ ଆଜି ପର୍ଯ୍ୟନ୍ତ ଅକ୍ଷୁଣ୍ଣ ବିଦ୍ୟମାନ ରହି ମହାମନା ନୃପତିଶିରୋମଣିଙ୍କର ଯଶୋଗୀତି ଗାନ କରୁଅଛି; ଆଜି ସୁଦ୍ଧା ଉକ୍ତ ଶିଳାସେତୁଗୁଡ଼ିକ ଉତ୍କଳର ପ୍ରାଚୀନ କୀର୍ତ୍ତିପୁଞ୍ଜ ମଧ୍ୟରେ ପରିଗଣିତ ହେଉଅଛି ଓ ସେମାନଙ୍କର ପ୍ରତିଷ୍ଠା ନିମିତ୍ତ ମର୍କତକେଶରୀ ଇତିହାସରେ ସମୁନ୍ନତ ସ୍ଥାନ ଲାଭ କରୁଅଛନ୍ତି । ଧନ୍ୟ ମର୍କତକେଶରୀ ! ତୁମ୍ଭର ଏହି ଅଲୌକିକ ଅନୁଷ୍ଠାନ ଯୋଗୁଁ ଆଜି ଉତ୍କଳଜନନୀ ସୁସଭ୍ୟ ଜନସମାଜ ପରି ପୂଜନୀୟା ହୋଇଅଛି ।

 

ହେ ସୁଧୀ ପାଠକବର୍ଗ ! ଏହି ଐତିହାସିକ ଗଳ୍ପକୁ ଲକ୍ଷ୍ୟକରି ଏ କ୍ଷୁଦ୍ର ପୁସ୍ତିକାଟି ରଚିତ ହୋଇଅଛି, ସାଦରେ ଓ ସାଗ୍ରହରେ ଗୃହୀତ ଓ ପଠିତ ହେଲେ ପରିଶ୍ରମ ସଫଳ ମନେ କରିବି । ଇତି ।

ପ୍ରଣେତା

•••

 

ପାଠକବର୍ଗଙ୍କୁ ନିବେଦନ

 

କାଠଯୋଡ଼ୀବନ୍ଧେ ବସି ହେ ପାଠକେ !

ଭାବିଛ କି କେବେ ଥରେ ?

ଏ ପାଷାଣ ସେତୁ କଟକ ବାସିଙ୍କ

କିସ ଉପକାର କରେ ।

ନ ଥିଲେ ଏ ବନ୍ଧ ନଦୀବନ୍ୟାଜଳ

କେତେକାଳୁଁ ଏ ସହର

ଭସାଇ ନେଇଣ ନର-ଘରଦ୍ୱାର

କରିଥାନ୍ତା ଛାରଖାର ।

ଯେ ମହାପୁରୁଷ ଏ ଅମର ସେତୁ

କରାଇଛନ୍ତି ନିର୍ମ୍ମାଣ

ଧନ୍ୟ ତାଙ୍କୁ ଆଜି ବୋଲୁଛନ୍ତି ଲୋକେ

ଅଟନ୍ତି ସେ କୀର୍ତ୍ତିମାନ ।

‘‘କୀର୍ତ୍ତିମାନ ନର ଚିରଜୀବୀ ଭବେ’’

ଅଟେ ଏ କବିବଚନ,

‘‘ନଶ୍ୱର ଶରୀର ତେଜିଣ କୀରତି-

ଶରୀରେ ସେ ବପୁଷ୍ମାନ’’ ।

କେଶରୀ ବଂଶରେ ଜନମ ତାଙ୍କର

ନାମ ‘‘ମର୍କତକେଶରୀ’’,

ଶିଳାସେତୁ ଦର- ଶନେ ତାଙ୍କ ଯଶେ

ଜନହୃଦ ଯାଏ ପୂରି ।

ସେହି ମହାମନା ନୃପତିଙ୍କି ଭକ୍ତି-

ପୁଷ୍ପାଞ୍ଜଳି କରି ଦାନ

ତାଙ୍କ ସୁବିମଳ ଯଶୋ-ଗୀତି ଗାଇ

କର ବିନୟେ ପ୍ରଣାମ ।

ପ୍ରଣେତା ।

•••

 

କାଠଯୋଡ଼ୀ ପଥରବନ୍ଧ

ରାଗ-ବଙ୍ଗଳାଶ୍ରୀ

ବରଷାସମୟ ଗଲାଣି ତ ଚାଲି

ଘନ (୧) ବର୍ଷେ ଘନ ଘନ

ଶୋଭାପରିପୂର୍ଣ୍ଣ ଶରଦରାଜ୍ୟରେ

ଏ କି ଅବା ଅଘଟନ ?

ଶଇଳ (୨) ଶିଖରେ ମୂଷଳଧାରରେ

ଢାଳିଲା ବାରିଦ (୩) ଜଳ;

ପର୍ବତନନ୍ଦିନୀ ତରଙ୍ଗିଣୀ କୂଳ

ହୋଇଲେ ବନ୍ୟାପ୍ରବଳ ।

କ୍ଷୁଦ୍ର ନଦୀମାନେ ଜଳ-ବିତ୍ତ-ଗର୍ବେ

କଲେ କୂଳ ଉଲ୍ଲଙ୍ଘନ;

ବଡ଼ ନଦୀଗଣ ଭୀଷଣ ତରଙ୍ଗ

ଖେଳାଇ କଲେ ଗର୍ଜ୍ଜନ ।

କାଠଯୋଡ଼ୀ ନଦୀ ଆଜ କୂଳ ଲଙ୍ଘି

ଦେଖାଇ ଭୀମମୂରତି

ପଥର ବନ୍ଧରେ ଢେଉରାଶି ପିଟି

ଯାଉଛି ବହି ଝଟତି ।

କେତେ କର୍ମ୍ମଚାରୀ ବିଦ୍ୟାଳୟ ଛାତ୍ର

ଦଳବାନ୍ଧି ଆଜି ବନ୍ଧେ,

ନଦୀଜଳେ ଚାହିଁ କ୍ଷଣେ କ୍ଷଣେ ରହି

ଜଳପନ୍ତି (୪) ମହାନନ୍ଦେ ।

ପ୍ରତିମୁହୂର୍ତ୍ତରେ କେତେ ଯେ ଲହରୀ

ପିଟୁଅଛି ତହିଁ ମଥା

ଦେଖିଲେ ନୟନେ ଭାବୁକ ମନରେ

ସ୍ଫୂରିଯାଏ କେତେ କଥା ।

କିନ୍ତୁ ସେ ପଥର- ବନ୍ଧ ମାଡ଼ଖାଇ

ରହିଛି ଦୃଢ଼ ଅଟଳ,

ଏହିପରି କେତେ- କାଳ ତ ଗଲାଣି

ଯିବ ପୁଣି କେତେ କାଳ ।

‘‘କଟକ ସହର- ତଳଭାଗ ନିମ୍ନ-

ତର ନଦୀସମତଳୁଁ,

ନଦୀବନ୍ଧ ସିନା ରଖିଛି ସହର

ପ୍ରବଳ ବନ୍ୟାକବଳୁଁ ।

ନୋହିଲେ ତ ନଦୀ ଅଳପ ବଢ଼ିଲେ

ସହର ଯାଆନ୍ତା ଭାସି

କାହୁଁ ଏଡ଼େ ସୁଖ- ଶାନ୍ତିରେ ଥାଆନ୍ତେ

କଟକନଗରବସୀ’’ ।

ଏହିପରି ଦୁଇ ପ୍ରବୀଣ ଯୁବକ

କରୁଥିଲେ ଆଳପନ (୫)

ସେହି ବନ୍ଧ ପାଶେ ଯାଉଥିଲେ ଚାଲି

ଶିଶୁଛାତ୍ର କେତେ ଜଣ ।

ସେହି ଛାତ୍ରଦଳୁଁ ଗୋଟିଏ ବାଳକ

ଇଙ୍ଗିତରେ ଦେଲା କହି ।

‘‘ଆହେ ଭାଇମାନେ ! ପଥର ବନ୍ଧର

ଗଳ୍ପ ଶୁଣ ଟିକେ ରହି’’ ।

ଜାଣିପାରି ତାହା ଯୁବକ ଭାଷିଲା

‘‘ଆସ ହେ ବାଳକଗଣ !

ଯାହା ଜାଣିବାକୁ ବଳାଇଛ ମନ

ତାହା ମୁଁ କହୁଛି ଶୁଣ ।

କିଏ ସେ ଏ ବନ୍ଧ କରିଛି ନିର୍ମ୍ମାଣ

ଆଗେ ସେହିକଥା ଭାଇ !

ତୁମ୍ଭମାନଙ୍କୁ ମୁଁ ଅତି ସଂକ୍ଷେପରେ

କହିବି ଏବେ ବୁଝାଇ ।

ଅତି ପୁରାକାଳେ ଏ ପୁଣ୍ୟ ଉତ୍କଳେ

(୬) ‘‘କେଶରୀ’’ ଏହି ନାମରେ,

ଥିଲା ଏକବଂଶ ବଳୀ ନୃପଶ୍ରେଣୀ

ଶୋଭୁଥିଲେ ଯା କୋଳରେ ।

ଥିଲେ ସେହିବଂଶେ ଲଲାଟେନ୍ଦୁ ନାମେ

ଏକଗୁଣୀ ନରପତି

ଏକାମ୍ରକାନନେ (୭) ତୋଳାଇ ମନ୍ଦିର

ରଖିଲେ ଯେ ସ୍ଥାୟୀ କୀର୍ତ୍ତି ।

ଯଯାତି କେଶରୀ ନାମ ବଜ୍ରନାଦେ

ଘୋଷୁଛି ‘‘ଯଯାତି ପୁର’’ (୮)

ସୁଖ୍ୟାତି-ସମ୍ପଦେ ହୋଇଥିବେ ଆଜି

ଦେବଲୋକେ ମହାସୁର ।

ସେହିବଂଶ ରାଜା ନୃପତି କେଶରୀ

କେଉଁ ଶୁଭ ମୁହୂର୍ତ୍ତରେ

‘‘କଟକ ନଗର’’ ବସାଇ ରଖିଲେ

ଅମର କୀର୍ତ୍ତି ଉତ୍କଳେ ।

ଆଜି ସେ କଟକ ରାଜଧାନୀ ରୂପେ

ଦେଖାଏ କେତେ ଛଟକ,

ବିପଣି-(୯) ବୀଥିକା- ସଉଧ ସମାଜେ

ଦିଶୁଅଛି ଜକ ଜକ ।

ଆଜି ଏ ନଗର ନାଗରିକ ଦଳୁଁ

କେହି କେବେ ସ୍ୱପନରେ ।

‘‘ନୃପତି କେଶରୀ’’ ପ୍ରତିଷ୍ଠାତା ନାମ

ଭାବିଥାନ୍ତି କିହେ ଥରେ ?

ଦୂରଦର୍ଶୀ ନୃପ ମର୍କତ କେଶରୀ

ମଣ୍ଡିଥିଲେ ସେହି କୁଳ (୧୦),

ତାଙ୍କର ସୁଦକ୍ଷ ଶାସନ ପ୍ରଣାଳୀ

ତୋଷିଥିଲା ପ୍ରଜାକୁଳ (୧୧)

ସୁକୀର୍ତ୍ତି ରକ୍ଷଣ, ପରଜା ରଞ୍ଜନ

ଯେଣୁ ଥିଲା ତାଙ୍କ ବ୍ରତ,

ବନ୍ୟାକବଳରୁ ରଖିବେ କଟକ

ବୋଲି ବଲାଇଲେ ଚିତ୍ତ ।

ଅପ୍ରମିତ ଅର୍ଥ ରାଜ ଭଣ୍ଡାରରୁ

କରି ବ୍ୟୟ ଅକାତରେ,

ଅସଂଖ୍ୟ ସୁଦକ୍ଷ- ଶିଳ୍ପିଶ୍ରମଜୀବୀ (୧୨)

ଲଗାଇ ତହିଁ ଅଚିରେ ।

ଆରମ୍ଭିଲେ ନୃପ ଏହି ଦୃଢ଼ତମ

ପଥରବନ୍ଧର କର୍ମ୍ମ,

ଦୀର୍ଘକାଳ ଅନ୍ତେ ବିଭୁକୃପାବଳେ

ହେଲା ତା ଶୁଭେ ସମ୍ପନ୍ନ ।

କାଳ-ପରାବାରେ ଆଠଶ ବରଷ

ଗଲାଣି ତା ପରେ ଭାସି,

ସେ ପଥରବନ୍ଧ ରଖିଛି ଅକ୍ଷୁଣ୍ଣ

ମହୀପତିଯଶୋରାଶି ।

କେତେ କେତେ ରାଜା କଲେଣି ଏଥିରେ

କେତେ ବା ଜୀର୍ଣ୍ଣସଂସ୍କାର (୧୩),

ତଥାପି ପ୍ରଧାନ- ବନ୍ଧ ଆଜିଯାଏ

ରହିଛି ଶକ୍ତ ଅଟଳ ।

ବ୍ରିଟିଶ-କେଶରୀ ସୁଶାସନେ ଏଥି

ହେଲା ପାଷାଣ ଯୋଜିତ,

ମାକଡ଼ା ଶିଳାରେ ଚୂନ ଲିପା ହୋଇ

ଦିଶୁଛି କେଡ଼େ ଶୋଭିତ ।

ସେ କାଳେ କଟକ- ଜିଲ୍ଲା-ଅଧିପତି

ମହାମୂଲ୍ୟ ସିଂହାସନ,

ସୁଯୋଗ୍ୟ ଦୟାଳୁ କର୍ମ୍ମଠ ବାର୍ଥୁଡ଼ (୧୪)

କରିଥିଲେ ବିମଣ୍ଡନ ।

ସେହି ସିଂହାସନ ବାର୍ଥଉଡ଼ ସମ

ଗୁଣୀ ରାଜପ୍ରତିନିଧି-

କୋଳେ ଧରି ସ୍ନେହେ ହୋଇଥିଲା ଧନ୍ୟ,

ରଙ୍କ ପାଇ ଯଥା ନିଧି ।

ପ୍ରଜାଙ୍କ ଗୁହାରୀ ଶୁଣିବାକୁ ସେତ

ଡେରିଥିଲେ ସଦା କାନ,

ଦେଶ ଉପକାର କରିବାକୁ ଢାଳି-

ଦେଇଥିଲେ ମନପ୍ରାଣ ।

କଟକ ଜିଲ୍ଲାର ଉନ୍ନତିସାଧନ

ବ୍ରତଥିଲା ତାଙ୍କ ଯେଣୁ

କାଠଯୋଡ଼ୀବନ୍ଧ- ଶିଳାସଂଯୋଜନ-

କୀର୍ତ୍ତି ରଖିଗଲେ ତେଣୁ ।

ମର୍କତକେଶରୀ ନାମ ସଙ୍ଗେ ସଙ୍ଗେ

ବ୍ରିଟିଶ-କେଶରୀ (୧୫) ନାମ

ତହିଁ ସଙ୍ଗେ ପୁଣି କର ହେ ବାଳକେ !

ତାଙ୍କ ଯଶୋ-ଗୀତି ଗାନ ।

ସୁଝିବାକୁ ତାଙ୍କ ଉପକାର-ଋଣ

ନାହିଁ ଭବେ ଯୋଗ୍ୟ ଧନ,

ତେଣୁ ହେ ସରବେ ହୃଦ କୃତଜ୍ଞତା

କର ସଦା ଅରପଣ ।

ଏ ଦୀନ ମିନତି ପ୍ରଶାନ୍ତ ହୃଦୟେ

ଘେନିବେ ସେ ଗୁଣିବର,

ଉଦାରତା ଗୁଣେ କ୍ଷମିବେ ନିରୀହ

ପ୍ରଜାଙ୍କ ଦୋଷନିକର ।

ମର୍କତକେଶରୀ ନୃପ କେତେକାଳୁଁ

ଗଲେଣି କାହିଁ ଉଭେଇ,

ପଥର ବନ୍ଧର- ଚିତ୍ର ତାଙ୍କସ୍ମୃତି-

ପେଟିକା (୧୬) ଦେଉଛି ଫେଇ ।

କରି ଯାଇଛନ୍ତି ବୋଲି ସିନା ସେହି

ଏଡ଼େ ସୁବିଖ୍ୟାତ କର୍ମ୍ମ,

ପ୍ରତି ମୁହୂର୍ତ୍ତରେ ଉତ୍କଳବାସିଙ୍କ

ସ୍ମୃତିରେ ପାଇଲେ ସ୍ଥାନ ।

ହେ ବାଳକେ ! ଯେବେ ବାଞ୍ଛିଥାଅ ଚିତ୍ତେ

ହେବାକୁ ଭବେ ଅମର,

ଲୋକହିତକର ପବିତ୍ର କର୍ମ୍ମରେ

ଦିଅ ମନ ନିରନ୍ତର ।

ତମୋମୟ (୧୭) ଭବେ ପୁଣ୍ୟକର୍ମ-ଦୀପ

ଦିଶଇ ସିନା ଉଜ୍ଜ୍ୱଳ ।

ସେହି ଦୀପଶିଖା ଅନୁସାରି ଯା’ନ୍ତି

ଏ ସଂସାରଯାତ୍ରି ଦଳ ।

 

(୧) ମେଘ, (୨) ପର୍ବତ, (୩) ମେଘ, (୪) ଗଳ୍ପ କରନ୍ତି, (୫) କଥାବାର୍ତ୍ତା, (୬) କେଶରୀ ବଂଶୀୟରାଜାମାନେ ଖ୍ରୀଃ ୪୭୪ ଠାରୁ ଖ୍ରୀଃ ୧୧୨୪ ପର୍ଯ୍ୟନ୍ତ ଉତ୍କଳରେ ରାଜତ୍ୱ କରିଥିଲେ, (୭) ଭୁବନେଶ୍ୱରଠାରେ, (୮) ଯଯାତିକେଶରୀ ଏହି ନଗରକୁ ବସାଇ ନିଜ ନାମାନୁସାରେ ଏହାର ନାମ ‘‘ଯଯାତିପୁର’’ ରଖିଥିଲେ, (୯) ବଜାର, (୧୦) ବଂଶ, (୧୧) ପ୍ରଜାସମୂହ, (୧୨) ରାଜମିସ୍ତ୍ରି ଓ ମୂଲିଆ, (୧୩) ମରାମତି କାର୍ଯ୍ୟ, (୧୪) ସୁଯୋଗ୍ୟ ଶ୍ରୀଯୁକ୍ତ ବାର୍ଥୁଡ଼ ସାହେବ ମହୋଦୟ ଅଳ୍ପଦିନ ପୂର୍ବେ କଟକ ଜିଲ୍ଲାର ମାଜିଷ୍ଟ୍ରେଟ ପଦରେ ଅଭିଷିକ୍ତ ଥିଲେ, (୧୫) ବ୍ରଟିଶ-ସିଂହ ବା ପ୍ରବଳ ପରାକ୍ରମୀ ବ୍ରଟିଶ ରାଜ, (୧୬) ପେଡ଼ି, (୧୭) ଅନ୍ଧକାର ଯୁକ୍ତ

Image